ଶ୍ରମିକ ଶ୍ରେଣୀର ମଣିଷଟିର ଜୀବନରେ ,
ଦୁଃଖର ଜଟିଳ ଅଙ୍କ କଷା ଚାଲିଥାଏ
କଷଣର କଳାଛାଇ ଯାଏନି ଦୂରେଇ
ଶ୍ରମ ଦାନ କରି ଅର୍ଥ ଉପାର୍ଜନ କରେ ସତ !
ହେଲେ ଓଳିଏ ଖାଇଲେ ଓଳିଏ ଉପାସ ..
ଅହରହ ଭୋକର ବ୍ୟାକରଣ ଘୋଷୁଥାଏ ,
ପେଟକୁ ମୁଠାଏ ଦାନା ଦେହକୁ କନା ଖଣ୍ଡେ
ଯୋଗାଇବାର ନିରନ୍ତର ପ୍ରଚେଷ୍ଟା କରୁଥାଏ ।
ସରକାରୀ ସହାୟତା ପହଞ୍ଚେନି ତା'
ନୁଆଁଣିଆ ଝାଟିମାଟି ଚାଳଛପର କୁଡ଼ିଆରେ ,
ତେଲିଆ ମୁଣ୍ଡରେ ତେଲ ପଡେ ହେଲେ ..
ତା' ନୁଖୁରା ମୁଣ୍ଡ ସେମିତି ପ୍ରତୀକ୍ଷା କରିଚାଲେ ,
ହାଡ଼ଭଙ୍ଗା ପରିଶ୍ରମ କରେ ଗଢିବାକୁ ପ୍ରାସାଦ
ହେଲେ ସୂରୁଜ ଚାନ୍ଦ ଦିଶେ ତା' ଚାଳିଆରେ
ମୁଣ୍ଡଝାଳ ତୁଣ୍ଡେ ମାରି ଖଟି ଚାଲେ
ହେଲେ ଚାରିପ୍ରାଣୀ କୁଟୁମ୍ବ ପୋଷିପାରେନି ।
ବାପା ମାଆ ଶ୍ରମିକ ସାଜି ଯାଆନ୍ତି
ଘରେ ବାଟ ଚାହିଁ ଥାନ୍ତି ନୀରିହନିଷ୍ପାପ ଶିଶୁ ..
ପାଠ ପଢା ସାତ ସପନ ତାଙ୍କ ପାଇଁ
ଅଲୋଡା ଜୀବନ ସେମାନଙ୍କର
ଧୂଳି ବାଲି ଖେଳ ଦିନ ହଜିଯାଏ
ଅକୁହା ବେଦନା ମନ ସିନ୍ଦୂକରେ ଜମାହୁଏ ,
ଶିଶୁ ଶ୍ରମିକ ସଜାଏ ତାକୁ ଦୁନିଆ
ଶିଶୁଙ୍କ ପାଇଁ ମାଳ ମାଳ ଯୋଜନା ହୁଏ ନିଷ୍ଫଳ ।
ଖରା ବର୍ଷା ଶୀତ କିଛି କରେନି କ୍ଷତି ତାଙ୍କର ,
କାହାରି ଦୟା ପଡେନି ତାଙ୍କଠାରେ
ବାପାମାଆ ଯଦି ଶ୍ରମକ୍ଷେତ୍ରରେ ଟଳିଯାନ୍ତି,
ତଥାପି ସେମାନଙ୍କ ଠାରେ ପଡେନି କାହାର ନଜର
ସହାନୁଭୂତି ଆଳରେ ଲୋକେ ଉଠାନ୍ତି ତାଙ୍କ ଫଟୋ ,
ତାଙ୍କ ଭବିଷ୍ୟତର ମାନଚିତ୍ର ଅନ୍ଧାରକୁ ଠେଲି ହୁଏ,
ହାରିଯାଆନ୍ତି ସେମାନେ ଭାଗ୍ୟ ଖେଳରେ
ଦଳିତ ନିଷ୍ପେସିତ ଶିଶୁଶ୍ରମିକ ସାଜି ।
ଜନ୍ମଜୟ ନାୟକ
ଗଣିତ ଶିକ୍ଷକ
ଚିଲିକା ନୋଡାଲ ହାଇସ୍କୁଲ
ପୁରୀ


0 Comments